ବଡ଼ଚଣା: ପରିବାରର ଦୁଃଖ ଓ ଦାରିଦ୍ର୍ୟ ଦୂର କରିବା ସହ ପିଲାମାନଙ୍କ ଭବିଷ୍ୟତ ଗଢ଼ିବାର ସ୍ୱପ୍ନ ନେଇ ନିଜ ଜନ୍ମମାଟି ଛାଡ଼ି ବାଙ୍ଗାଲୋରକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଯୁବକଙ୍କ ଅକାଳ ମୃତ୍ୟୁ ସମଗ୍ର ପରିବାର ସମେତ ଅଞ୍ଚଳ ବାସୀଙ୍କୁ ଶୋକସାଗରରେ ଭସାଇ ଦେଇଛି।

ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ କୁନ୍ଦଳ ଗ୍ରାମ ପଞ୍ଚାୟତର କୂଳହରିପୁର ଗ୍ରାମର ବିକ୍ରମାଦିତ୍ୟ ସାମଲଙ୍କ ପୁତ୍ର ସ୍ୱର୍ଗତ ମାନସ କୁମାର ସାମଲ (୩୮) ପରିବାରର ଆର୍ଥିକ ଅନଟନ ଯୋଗୁଁ ବାଙ୍ଗାଲୋରରେ ରହି କଲର କାମ କରୁଥିଲେ। ତାଙ୍କର ଏକ ୬ ବର୍ଷର ଝିଅ ଓ ୩ ବର୍ଷର ପୁଅ ଅଛନ୍ତି। ବୃଦ୍ଧ ବାପାମାଆ ଓ ଦୁଇ ଛୋଟ ସନ୍ତାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ସେ ପରିବାରଠାରୁ ଦୂରରେ ରହି କଠିନ ପରିଶ୍ରମ କରୁଥିଲେ।
ମାତ୍ର ଦୁର୍ଭାଗ୍ୟବଶତଃ ବାଙ୍ଗାଲୋରରେ ଏକ ଉଚ୍ଚ ସ୍ଥାନରେ କଲର କାମ କରୁଥିବା ସମୟରେ ତାଙ୍କ ସୁରକ୍ଷା ଦଉଡ଼ି ଛିଣ୍ଡିଯିବାରୁ ସେ ତଳକୁ ଖସି ପଡ଼ିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ମାନସଙ୍କ ମୃତ୍ୟୁରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ଯେଉଁ ଦୁଇ କୁନି ପିଲାଙ୍କ ଭବିଷ୍ୟତ ପାଇଁ ବାପା ଦୂର ରାଜ୍ୟରେ ସଂଘର୍ଷ କରୁଥିଲେ, ଆଜି ସେହି ପିଲାମାନେ ବାପାଙ୍କ ସ୍ନେହ ଓ ମମତାରୁ ସବୁଦିନ ପାଇଁ ବଞ୍ଚିତ ହୋଇଗଲେ।
ଅନ୍ୟପଟେ ମାନସଙ୍କ ବୃଦ୍ଧ ବାପାମାଆଙ୍କ ଦୁଃଖ ମଧ୍ୟ କହିଲେ ନସରେ। ଯେଉଁ ବୟସରେ ପୁଅର ସାହାରାରେ ଜୀବନର ଶେଷ ସମୟ ଶାନ୍ତିରେ କଟାଇବା କଥା, ସେହି ବୟସରେ ସେମାନେ ନିଜର ରୋଜଗାରିଆ ପୁଅକୁ ହରାଇ ଅସହାୟ ହୋଇପଡ଼ିଛନ୍ତି। ବୃଦ୍ଧାବସ୍ଥାର ଆଶା ଓ ଭରସା ଥିବା ପୁଅ ଆଜି ଆଉ ନାହିଁ। ଗୋଟିଏ ପଟେ ବୃଦ୍ଧ ବାପାମାଆଙ୍କ ଆଶ୍ରୟ ଭାଙ୍ଗିପଡ଼ିଥିବା ବେଳେ ଅନ୍ୟପଟେ ଦୁଇ କୁନି ସନ୍ତାନଙ୍କ ମୁଣ୍ଡରୁ ବାପାଙ୍କ ଛାୟା ଚାଲିଯାଇଛି।
ଏହି ଦୁଃଖଦ ଘଟଣାରେ ଅସହାୟ ହୋଇପଡ଼ିଥିବା ପରିବାରକୁ ସହାୟତାର ହାତ ବଢ଼ାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ଥାନୀୟ ବିଧାୟକ, ସାଂସଦ ଏବଂ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଅଞ୍ଚଳବାସୀଙ୍କ ପକ୍ଷରୁ ନମ୍ର ନିବେଦନ କରାଯାଉଛି। ବିଶେଷକରି ଦୁଇ ନାବାଳକ ସନ୍ତାନଙ୍କ ଶିକ୍ଷା, ଭରଣପୋଷଣ ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ପରିବାରକୁ ତୁରନ୍ତ ଉପଯୁକ୍ତ ଆର୍ଥିକ ସହାୟତା ଓ ନ୍ୟାୟସଙ୍ଗତ କ୍ଷତିପୂରଣ ଯୋଗାଇଦେବାକୁ ହୃଦୟର ସହ ଅନୁରୋଧ କରାଯାଉଛି।
ପରିବାରର ମୁହଁରେ ହସ ଫୁଟାଇବାକୁ ଯାଇଥିବା ମାନସ ଆଉ ଫେରିବେ ନାହିଁ। ହେଲେ ତାଙ୍କ ବୃଦ୍ଧ ବାପାମାଆଙ୍କ ଭଙ୍ଗା ମନ ଓ ଦୁଇ କୁନି ସନ୍ତାନଙ୍କ ଅସହାୟ ଭବିଷ୍ୟତ ଆଜି ସମାଜ ଓ ପ୍ରଶାସନ ଆଗରେ ଏକ ବଡ଼ ପ୍ରଶ୍ନ ହୋଇ ଠିଆ ହୋଇଛି।
