ଭୁବନେଶ୍ବର: ସରକାର ଆଦିବାସୀଙ୍କ ବିକାଶ ପାଇଁ ଅନେକଗୁଡ଼ଏ ପଦକ୍ଷେପ ହାତକୁ ନେଇଛନ୍ତି। କିନ୍ତୁ ସରକାରଙ୍କ ଯୋଜନା ତୃଣମୂଳସ୍ତରରେ ପହଞ୍ଚି ପାରୁ ନଥିବାରୁ ଆଦିବାସୀମାନେ ଯେଉଁ ସ୍ତରରେ ପହଞ୍ଚିବା କଥା, ସେଇଠିକୁ ଯାଇପାରୁ ନାହାନ୍ତି। ଆଦିବାସୀଙ୍କ ବିକାଶ ନାଁରେ ବଡ଼ଧରଣର ଦୁର୍ନୀତି ହୋଇଛି। ସିଏଜି ରିପୋର୍ଟରୁ ଏହା ଜଣାପଡ଼ିଛି। ରିପୋର୍ଟରେ କୁହାଯାଇଛି ଯେ, ୨୦୧୮ରୁ ୨୦୨୩ ମସିହା ମଧ୍ୟରେ ହୋଇଥିବା ଅନିୟମିତତା ଧରା ପଡ଼ିଛି।
ସାମ୍ବାଦିକ ସମ୍ମିଳନୀରେ ପ୍ରିନ୍ସିପାଲ ଆକାଉଣ୍ଟ ଜେନେରାଲ ଅତୁଲ ପ୍ରକାଶ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ସମନ୍ୱିତ ଆଦିବାସୀ ବିକାଶ ଏଜେନ୍ସି (ଆଇଟିଡିଏ)କୁ ମିଳିଥିବା ସରକାରୀ ଅନୁଦାନ ଅର୍ଥ ଖର୍ଚ୍ଚ ହୋଇପାରି ନାହିଁ। ସିଏଜି ପକ୍ଷରୁ ୧୧ଟି ଆଇଟିଡିଏକୁ ନମୁନା ଭାବେ ନେଇ ଅଡିଟ କରିଥିଲେ। ଏଥିରୁ ଜଣାପଡିଛି ଯେ, ୧୭୦୯ କୋଟିରୁ ୧୧୯୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାକୁ ଅଡିଟ ରିପୋର୍ଟରେ ଆଇଟିଡିଏ ଗୁଡ଼ିକର ଖରାପ ପ୍ରଦର୍ଶନ ବୋଲି ଦର୍ଶାଇଛନ୍ତି। ଜୁନିୟର ଇଞ୍ଜିନିୟର ଏବଂ ଆସିଷ୍ଟାଣ୍ଟ ଇଞ୍ଜିନିୟରମାନେ କୋଟି କୋଟି ଟଙ୍କାର ସରକାରୀ ଅର୍ଥକୁ ବ୍ୟକ୍ତିଗତ ଖର୍ଚ୍ଚ କରିଛନ୍ତି। ସରକାରୀ ବାବୁମାନେ ନିଜ ଖର୍ଚ୍ଚ ପାଇଁ ୧୪୮ କୋଟି ଟଙ୍କା ଉଡ଼ାଇ ଦେଇଛନ୍ତି। ଆଦିବାସୀଙ୍କ ବିକାଶ ପାଇଁ ଥିବା ସରକାରୀ ଟଙ୍କାକୁ ନିଜର ମୋବାଇଲ ରିଚାର୍ଜ, ଫୋନ ପେ’ ପେମେଣ୍ଟ, ବୀମା ପ୍ରିମିୟମ, ଏଟିଏମରୁ ଟଙ୍କା ଉଠାଣ କରି ଖର୍ଚ୍ଚ କରିଛନ୍ତି ଜେଇ ଏବଂ ଏଇ।
