ଭୁବନେଶ୍ୱର/ଝାରସୁଗୁଡ଼ା: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ତର ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷାର ମୁକାବିଲା ସମ୍ପର୍କରେ ପ୍ରଭାବିତ ହେବାକୁ ଥିବା ୧୭ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଆଜି ଏକ ସମୀକ୍ଷା ବୈଠକ କରିଛନ୍ତି। ବର୍ଷାକୁ ନଜରରେ ରଖି ଏହାର ପୂର୍ବ ପ୍ରସ୍ତୁତି ସମ୍ପର୍କରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ାରୁ ଆଲୋଚନା କରିଛନ୍ତି। ଜିଲ୍ଲା ଏବଂ ବ୍ଲକ ସ୍ତରରେ ନିୟନ୍ତ୍ରଣ କକ୍ଷଗୁଡ଼ିକ ୨୪ ଘଣ୍ଟା କାର୍ଯ୍ୟ କରିବା ଏବଂ ଏହାର ତଥ୍ୟ ଗୁଡିକ ଯେପରି ନିୟମିତ ଭାବେ ଅପ୍ଡେଟ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ପରିବର୍ତ୍ତିତ ପରିସ୍ଥିତି ଦେଖି ଆବଶ୍ୟକ ପଦକ୍ଷେପ ନେବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି।
ଲଘୁଚାପ ଜନିତ ବର୍ଷା ଏବଂ ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇ କହିଥିଲେ ଯେ ପ୍ରବଳ ବର୍ଷା ଯୋଗୁଁ ସହରାଞ୍ଚଳ ସମେତ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ଏପରି ପରିସ୍ଥିତିର ମୁକାବିଲା କରିବା ପାଇଁ ଡ୍ରେନେଜ୍ ଇଞ୍ଜିନିୟର ଏବଂ ଅଧିକାରୀମାନଙ୍କୁ ସହାୟକ କର୍ମଚାରୀ ଏବଂ ଯନ୍ତ୍ରପାତି ସହିତ ପ୍ରସ୍ତୁତ ରହିବା ଆବଶ୍ୟକ। ଏହି ସମୟରେ ଜଳବନ୍ଦୀ ସମ୍ମୁଖୀନ ହେବାର ସମ୍ଭାବନା ଥିବା ଅଞ୍ଚଳରୁ ପାଣି ନିଷ୍କାସନ ପାଇଁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକ ପକ୍ଷରୁ ଆଗୁଆ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ଦାୟିତ୍ୱରେ ଥିବା ଇଞ୍ଜିନିୟରିଂ କର୍ମଚାରୀମାନେ ନଦୀ ଓ କେନାଲ ବନ୍ଧର ଦୁର୍ବଳ ସ୍ଥାନଗୁଡ଼ିକ ଉପରେ କଡ଼ା ନଜର ରଖିବା ପାଇଁ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଥିଲେ।
