ଧରାକୋଟ: ବଙ୍ଗୋପସାଗରରୁ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ମୋନ୍ଥା’ ଓ ପରବର୍ତ୍ତୀ ସମୟରେ ହୋଇଥିବା ପ୍ରବଳ ବର୍ଷାର ବିକଳ ଚିତ୍ର ଗଂଜାମଜିଲ୍ଲା ଧରାକୋଟ ବ୍ଲକରେ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ଯୋଗୁଁ ଏଠାରେ ଚାଷୀମାନେ ବ୍ୟାପକ ଫସଲ କ୍ଷତି ସାମ୍ନା କରିଛନ୍ତି। ଚାଷୀମାନଙ୍କର ଖେତରେ ଥିବା ଧାନ ଏବଂ ବଗିଚାରେ ଥିବା ପନିପରିବା ନଷ୍ଟ ହୋଇଛି। ଧାନଖେତରେ ପାଣି ଲହଡ଼ି ଭାଙ୍ଗୁଥିବା ବେଳେ ବଗିଚାରେ ପନିପରିବା ନଷ୍ଟ ହୋଇଛି। ପରିବା ଗଛ ପଚିବା, ଫୁଲ ଝଡ଼ିବା ଭଳି ସମସ୍ୟା ଉପୁଜିଛି। ଧରାକୋଟ ବ୍ଲକର ୧୮ଗୋଟି ପଞ୍ଚାୟତର ଖରିଫ ଧାନ ଫସଲ ପ୍ରଭାବିତ ହୋଇଛି। ଫଳରେ ଫଳ ଧରିଥିବା ଧାନକେଣ୍ଡା ଓ ପାଚିଲା ଧାନ ଫସଲ ପବନ ଓ ଲଗାଣ ବର୍ଷାରେ ଲୋଟି ପଡ଼ି ଧରାଶାୟୀ ହୋଇଛି। ଦୀର୍ଘ ଦୁଇ ଦିନ ଧାନ କେଣ୍ଡା ପାଣିରେ ଭିଜି ରହିଥିବାରୁ ଚାଷୀର ଚିନ୍ତା ବଢ଼ିଛି। ପାଣି ଭର୍ତ୍ତି ଧାନ ବିଲରୁ ଚାଷୀ ଉଜୁଡ଼ା ଫସଲକୁ ଛାଣୁଥିବାର ଦୟନୀୟ ଚିତ୍ର ଅଧିକାଂଶ ପଞ୍ଚାୟତରେ ଦେଖିବାକୁ ମିଳିଛି। ଚଳିତ ବର୍ଷ ଭଲ ଫସଲ ହୋଇଥିଲା। ଧାନ ଓ ପନିପରିବା ଚାଷ ପାଇଁ ପାଗ ଆରମ୍ଭରୁ ଅନୁକୂଳ ରହିଥିଲା। ଏଣୁ ଚାଷୀମାନେ ହାତ ଉଧାରି ଓ ବ୍ୟାଙ୍କ, ସମବାୟ ସମିତିରୁ କରଜ କରି ରୁଆ, ବେଉଷଣ, ବିହନ, ପିଡ଼ିଆ, ବଚ୍ଛାବଛି କରିଥିଲେ
