କାଳିଆପାଣି : କେନ୍ଦ୍ର ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ସବୁ ବର୍ଗର ସାଧାରଣ ଶ୍ରମିକଙ୍କ ପାଇଁ ୪ ଗୋଟି ନୂଆ ଶ୍ରମ ସଂହିତା ଘୋଷଣାର ୪ ଦିନ ମଧ୍ୟରେ ଏହାକୁ ସୋମବାର ଠାରୁ ଓଡ଼ିଶା ଖଣି ନିଗମ(ଓଏମ୍ସି)ରେ ବିଧିବଦ୍ଧ ଲାଗୁ କରାଯାଇଛି।
ଖଣି ସୁରକ୍ଷା ମହାନିର୍ଦ୍ଦେଶକ ଉଜ୍ଜ୍ବଳ ତାହଙ୍କ ନିର୍ଦ୍ଦେଶରେ ଭୁବନେଶ୍ବର ଜୋନ ଖଣି ସୁରକ୍ଷା ନିର୍ଦ୍ଦେଶକ ଅବନୀଶ କୁମାର ମିଶ୍ରଙ୍କ ପରାମର୍ଶରେ ଖଣି ସୁରକ୍ଷା ଉପନିର୍ଦ୍ଦେଶକ(ଡିଡିଏମ୍ଏସ୍) ଟାଙ୍ଗଲାପଲ୍ଲୀ ହରିପ୍ରସାଦ ଓଏମ୍ସି ଖଣିରେ ପହଞ୍ଚି ଏ ସଂପର୍କିତ ଘୋଷଣାକୁ ସୁନିଶ୍ଚିତ କରିଥିଲେ। ଏହାକୁ ପ୍ରଧାନମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପ କହିଥିଲେ। ଦକ୍ଷିଣ କାଳିଆପାଣି କ୍ରୋମାଇଟ୍ ଖଣିର କେସିସି-ଡେକୋ କ୍ୟାଣ୍ଟିନ ଗ୍ରାଉଣ୍ଡରେ ଆଞ୍ଚଳିକ ପ୍ରବନ୍ଧକ ଇଂ ଅବନୀକାନ୍ତ ପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏକ ସାଧାରଣ ସମାବେଶରେ ଡିଡିଏମ୍ଏସ୍ ଶ୍ରୀ ହରିପ୍ରସାଦ ମୁଖ୍ୟ ଅତିଥି ଭାବେ ମଜୁରି ସଂହିତା-୨୦୧୯, ଶିଳ୍ପ ସଂପର୍କ ସଂହିତା-୨୦୨୦, ସାମାଜିକ ନିରାପତ୍ତା ସଂହିତା-୨୦୨୦ ଏବଂ ବୃତ୍ତିଗତ ସୁରକ୍ଷା, ସ୍ବାସ୍ଥ୍ୟ ଓ କାର୍ଯ୍ୟ ସ୍ଥିତି ସଂହିତା-୨୦୨୦ ବ୍ୟାଖ୍ୟା କରିଥିଲେ।
