ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା KIIT ର ଉପସଭାପତି ଓ କଳିଙ୍ଗ ଟିଭିର ପରାମର୍ଶଦାତା ଉମାପଦ ବୋଷଙ୍କ ଧର୍ମପତ୍ନୀ ବଳାକା ବୋଷଙ୍କ ପରଲୋକ । ବୁଧବାର ଅପରାହ୍ଣରେ ଭୁବନେଶ୍ୱର ସ୍ଥିତ KIMS ହସ୍ପିଟାଲରେ ସମସ୍ତଙ୍କୁ ଶୋକସାଗାରରେ ଭସାଇ ସେ ପରପାରିକୁ ଚାଲିଯାଇଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା ।
ସେ ଜଣେ ଅତ୍ୟନ୍ତ ଧର୍ମପ୍ରାଣା, ମିଷ୍ଟଭାଷୀ, ପରୋପକାରୀ ଓ ସ୍ନେହୀ ମହିଳା ଥିଲେ । ତାଙ୍କ ପରଲୋକଗତ ଖବର ଶୁଣିବା ପରେ ତାଙ୍କ ସମ୍ପର୍କୀୟ ଓ ବନ୍ଧୁବାନ୍ଧବଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଂଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶ୍ରୀମତୀ ବୋଷ ଅଧ୍ୟାପକ ଭାବେ ନିଜର କର୍ମ ଜୀବନ ଆରମ୍ଭ କରିଥିଲେ ମଧ୍ୟ ପରେ ବ୍ୟକ୍ତିଗତ କାରଣରୁ ଅଧ୍ୟାପନା ବୃତ୍ତିରୁ ଅବ୍ୟାହତି ନେଇଥିଲେ ।
ମୃତ୍ୟୁଶଯ୍ୟା ନିକଟରେ ତାଙ୍କ, ବଡ଼ ଦିଅର ରୂପକ ବୋଷ, ଝିଅ କୌଶିକ, ଜ୍ୱାଇଁ ଅଭିଷେକ, ନାତି ରେୟାନ, ଓ ବନ୍ଧୁବାନ୍ଧବ ଉପସ୍ଥିତଥିବା ବେଳେ ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ତାଙ୍କର ଦିଅର ସାମ୍ବାଦିକ ତଥା ଗାଳ୍ପିକ ସୁନୀଲ ବୋଷ ମୁଖାଗ୍ନି ଦେଇଥିଲେ । ଶ୍ରୀମତୀ ବୋଷଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
