ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଫୁଟ୍ ପାଥରେ ଚାଲିବା ଏବେ ଆପଣଙ୍କ ମୌଳିକ ଅଧିକାର । ଗାଡ଼ି ନୁହେଁ, ପଦଚାରୀ ସବୁଠୁ ଆଗେ ! ସଡ଼କ ଜବରଦଖଲକାରୀଙ୍କ ଉପରେ କୋର୍ଟଙ୍କ କଡ଼ା ଆଭିମୁଖ୍ୟ । ୫ ବର୍ଷର ଶିଶୁର ମୃତ୍ୟୁ ବଦଳାଇଦେଲା ଦେଶର ଆଇନ । ୬ ମାସ ଭିତରେ ସୁଧୁରିବ ଫୁଟ୍ ପାଥ୍ ବ୍ୟବସ୍ଥା । ଦେଶର ସହରାଞ୍ଚଳ ବ୍ୟବସ୍ଥା ଏବଂ ସାଧାରଣ ଜନତାଙ୍କ ପାଇଁ ସୁପ୍ରିମ୍ କୋର୍ଟ ଏକ ଐତିହାସିକ ରାୟ ଶୁଣାଇଛନ୍ତି । ଚାଲି ଚାଲି ଯାଉଥିବା ପାଦଚାରୀମାନଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଅଦାଲତ ଫୁଟ୍ ପାଥରେ ଚାଲିବାକୁ ନାଗରିକଙ୍କ ମୌଳିକ ଅଧିକାର ଭାବେ ଘୋଷଣା କରିଛନ୍ତି ।
ଜଷ୍ଟିସ୍ ପି.ଏସ୍. ନରସିଂହ ଏବଂ ଜଷ୍ଟିସ୍ ଅତୁଲ ଏସ୍. ଚାନ୍ଦୁରକରଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ମୋଟର ଚାଳିତ ଗାଡ଼ିଗୁଡ଼ିକର ଚଳାଚଳ ତୁଳନାରେ ପଦଚାରୀଙ୍କ ଅଧିକାର ପ୍ରାଥମିକ ଏବଂ ସର୍ବାଗ୍ରେ । ଏଥିସହ ସାରା ଦେଶରେ ସୁରକ୍ଷିତ ପାଦଚାରୀ ଭିତ୍ତିଭୂମି ନିଶ୍ଚିତ କରିବାକୁ କୋର୍ଟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଦାଲତଙ୍କ କହିବା ଅନୁଯାୟୀ ଚାଲିବାର ଅଧିକାର ସମ୍ବିଧାନର ଧାରା ୧୯ଏବଂ ଧାରା ୨୧ ଅନୁସାରେ ଏକ ଅଭିନ୍ନ ଅଙ୍ଗ । ମ୍ୟୁନିସିପାଲିଟି କର୍ପୋରେସନ୍, ସହର ଉନ୍ନୟନ ସଂସ୍ଥା ଏବଂ ପଞ୍ଚାୟତଗୁଡ଼ିକର ଏହା ସାମ୍ବିଧାନିକ ଦାୟିତ୍ୱ ଯେ ସେମାନେ ଫୁଟ୍ ପାଥ୍ ତିଆରି କରିବେ ।
ତାମିଲନାଡୁରେ ଘଟିଥିବା ଏକ ଦୁଃଖଦ ଘଟଣାରୁ ଏହି ମାମଲାର ସୂତ୍ରପାତ ହୋଇଥିଲା । ୨୦୧୮ ମସିହାରେ ଫୁଟ୍ ପାଥ୍ ନଥିବା ହେତୁ ରାସ୍ତାରେ ଚାଲି ଚାଲି ସ୍କୁଲ୍ ଯାଉଥିବା ଜଣେ ୫ ବର୍ଷର ଶିଶୁ କନ୍ୟାର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ସୁପ୍ରିମ୍ କୋର୍ଟ ଏହି ମାମଲାକୁ ଏକ ଜନସ୍ୱାର୍ଥ ମାମଲା (PIL) ରେ ପରିଣତ କରି ସାରା ଦେଶରେ ପାଦଚାରୀଙ୍କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ ଏବଂ ମୃତ ଶିଶୁର ପରିବାରକୁ ଅଧିକ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଐତିହାସିକ ରାୟ ପରେ ଏବେ ସହରଗୁଡ଼ିକର ସଡ଼କ ଡିଜାଇନ ଏବଂ ବଜେଟରେ ପାଦଚାରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ପଡ଼ିବ । ମୋଟର ଗାଡ଼ି ଚଳାଉଥିବା ଲୋକଙ୍କ ସୁବିଧା ପାଇଁ ଚଉଡ଼ା ରାସ୍ତା ତିଆରି ହେଉଛି, କିନ୍ତୁ ଯେଉଁମାନେ ଚାଲି ଚାଲି ଯାଉଛନ୍ତି ସେମାନଙ୍କ ସୁରକ୍ଷାକୁ ଉପେକ୍ଷା କରାଯାଉଛି । ରାସ୍ତା କଡ଼ରେ ଉଠାଦୋକାନୀ କିମ୍ବା ଗାଡ଼ି ପାର୍କିଂ କରି ଜବରଦଖଲ କରୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କୋର୍ଟ ସମସ୍ତ ରାଜ୍ୟକୁ ସେମାନଙ୍କର ଫୁଟ୍ ପାଥ୍ ସ୍ଥିତି ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ ୬ ମାସର ସମୟ ସୀମା ଧାର୍ଯ୍ୟ କରିଛନ୍ତି । ନଗର ଉନ୍ନୟନ ବିଶେଷଜ୍ଞମାନେ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ।
