ପୋଲସରା : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ପୋଲିସକୁ ସଫଳତା । ବେଆଇନ ବନ୍ଧୁକ ବ୍ୟବସାୟୀଙ୍କୁ କାବୁ ପରେ ଦେଶୀ ବନ୍ଧୁକ କାରଖାନା ଠାବ କଲା ପୋଲିସ । ବେଆଇନ ଦେଶୀ ବନ୍ଧୁକ କାରଖାନାରୁ ବିପୁଳ ପରିମାଣର ବନ୍ଧୁକ ପ୍ରସ୍ତୁତ ସରଞ୍ଜାମ ସହ ଦୁଇ ବନ୍ଧୁକ ଓ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ଗାଙ୍ଗପୁର ଥାନା ଜଡ଼ାପଲ୍ଲୀ ଗାଁର ସୁବାସ ଗମାଙ୍ଗ ଓ ବିଦୁ ଦଳବେହେରା । ଉଭୟ ବୁଧବାର ରାତିରେ ଦୁଇ ଦେଶୀ ବନ୍ଧୁକ ନେଇ ବାଲିପଦର ଅଞ୍ଚଳରେ ବିକ୍ରି ପାଇଁ ଆସିଥିଲେ । ପୋଲିସ ଚଢ଼ାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ତଦନ୍ତ ବେଳେ ଗାଙ୍ଗପୁର ଥାନା ସିଆରିମାଳ ଜଙ୍ଗଲରେ ବନ୍ଧୁକ ପ୍ରସ୍ତୁତ କାରଖାନା ଖବର ମିଳିଥିଲା । ବୁଗୁଡ଼ା ପୋଲିସ ଗୋଟିଏ ଟିମ ସିଆରିମାଳ ଜଙ୍ଗଲରେ ଚଢ଼ଉ କରି ବେଆଇନ ବନ୍ଧୁକ କାରଖାନା ଜବତ କରିବା ସହ ପ୍ରସ୍ତୁତ ବନ୍ଧୁକକୁ କେଉଁ ମାନେ କିଣିଛନ୍ତି ଏବେ କେତେ ଟଙ୍କାରେ ବିକ୍ରି କରାଯାଉଥିଲା ତାହାର ଅଧିକ ତଦନ୍ତ ଚଳାଇଛି । ଅନ୍ୟପଟେ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ଭଞ୍ଜନଗର ଏସଡିପିଓ ।
