ସୁନ୍ଦରଗଡ଼ : ଜୀବନ ବଞ୍ଚାଇ ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ସୁନ୍ଦରଗଡ଼ ଜିଲ୍ଲା ସବଡେଗା ରଣପୁର ନିକଟରେ ହାଇୱା ଗାଡ଼ିରେ ଭୟଙ୍କର ଅଗ୍ନିକାଣ୍ଡ। ବିପୁଳ ପରିମାଣର ଇଲେକ୍ଟ୍ରିକ୍ ତାର ଓ ପାଇପ ବୋଝେଇ କରି ଯାଉଥିବା ବେଳେ ହଠାତ୍ ହାଇୱା ଗାଡ଼ିରେ ନିଆଁ ଲାଗିଥିଲା । ଦେଖୁ ଦେଖୁ ନିଆଁ ଗାଡ଼ି ସହ ତାରକୁ ମଧ୍ୟ ବ୍ୟାପି ଯାଇଥିଲା । ଗାଡ଼ିରୁ ଧୂଆଁ ବାହାରୁଥିବା ଦେଖି ଡ୍ରାଇଭର ତୁରନ୍ତ ଗାଡ଼ିରୁ ବାହାରି ଆସିଥିଲେ। ଫଳରେ ଅଳ୍ପକେ ତାଙ୍କ ଜୀବନ ବଞ୍ଚିଯାଇଥିଲା ।
ନିଆଁର ତୀବ୍ରତା ଏତେ ଅଧିକ ଥିଲା ଯେ, ଅଳ୍ପ ସମୟ ମଧ୍ୟରେ ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା । ତେବେ ଗାଡ଼ିରେ ବିପୁଳ ପରିମାଣର ଇଲେକ୍ଟ୍ରିକ୍ ତାର ଓ ପାଇପ ଥିବାରୁ ନିଆଁ ଲିଭାଇବାରେ କିଛିଟା ସମସ୍ୟା ଦେଖାଦେଇଥିଲା । ତେବେ ଘଟଣା ସ୍ଥଳରେ ତଳସରା ପୋଲିସ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।
