ଭୁବନେଶ୍ବର: ଘଣ୍ଟା ପ୍ରତି ୭ କିମି ବେଗରେ ଉପକୂଳକୁ ମାଡ଼ି ଆସୁଛି ଗଭୀର ଅବପାତ। ସମୁଦ୍ର ମଧ୍ୟରେ ୫୦ରୁ ୬୦ କିମି ବେଗରେ ପବନ ହେଉଛି। ତୁହାକୁତୁହା ବର୍ଷା ଢାଳୁଛି। ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବି ସୁ ସୁ ନାଦ କରି ପବନ ବହିବା ସହ ବର୍ଷା ଲାଗିରହିଛି। ରାତି ପ୍ରାୟ ୧୦ଟା ସୁଦ୍ଧା ଏହା ଗୋପାଳପୁରଠାରୁ ୧୫୦ କିମି, ପୁରୀଠାରୁ ୨୧୦ କିମି ଓ ବିଶାଖାପାଟଣାଠାରୁ ୨୨୦ କିମି ଦୂରରେ ଗଭୀର ଅବପାତ ରୂପେ କେନ୍ଦ୍ରୀଭୂତ ରହିଛି। ମନ୍ଥର ଗତିରେ ଆଗକୁ ବଢ଼ୁଥିବା ଏହି ଗଭୀର ଅବପାତ ୨୩ ତାରିଖ ରାତିରେ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ ଉପକୂଳ ଅତିକ୍ରମ କରିବ। ସ୍ଥଳଭାଗରେ ପହଞ୍ଚିଲା ବେଳକୁ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିମି ରହିବ। ଝଟକା ପବନ ଘଣ୍ଟାପ୍ରତି ୭୫ କିମି ଯାଏ ରହିବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଅତିକ୍ରମ କରିବା ପରେ ଓଡ଼ିଶା ମଧ୍ୟକୁ ପ୍ରବେଶ କରିପାରେ।ଏହାର ପ୍ରଭାବରେ ୨୩ ତାରିଖ ସକାଳ ପର୍ଯ୍ୟନ୍ତ ରାୟଗଡ଼ା, କୋରାପୁଟ, ଗଜପତି, ଗଞ୍ଜାମ ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଏବଂ ସ୍ଥାନେ ସ୍ଥାନେ ଅତ୍ୟନ୍ତ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ହେବାକୁ ଥିବାରୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି। ଏହି ସମୟରେ କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରି, ପୁରୀ, ଖୋର୍ଦ୍ଧା, ନୟାଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ଉପକୂଳ ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲା ଓ ସଂଲଗ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ପରବର୍ତ୍ତୀ ୨୪ ଘଣ୍ଟା ଓଡ଼ିଶାର ୧୦ଟି ଜିଲ୍ଲା ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ। ଏହି ସମୟରେ ଗଭୀର ଅବପାତ ଓଡ଼ିଶା ଭିତରେ ପ୍ରବେଶ କରିବାକୁ ଥିବାରୁ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଘାଣ୍ଟିବ। ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ହେବା ସହ ଅତିପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ଲାଗି ରହିବ। ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ପବନ ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ରାଜ୍ୟର ଅନ୍ୟ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ଲାଗିରହିବ। ୨୪ ତାରିଖରେ ନବରଙ୍ଗପୁରରେ ଅତ୍ୟନ୍ତ ପ୍ରବଳ ବର୍ଷା ସହ ପବନ ହେବାକୁ ଥିବାରୁ ରେଡ୍ ୱାର୍ଣ୍ଣିଂ ଏବଂ ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ୨୫ ତାରିଖରେ ନୂଆପଡ଼ା ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ସତର୍କ କରାଯାଇଛି।
