କଲମ୍ବୋ: ଶ୍ରୀଲଙ୍କାର ଏକ କୋର୍ଟ ୨୦୧୯ ଇଷ୍ଟର ଆତ୍ମଘାତୀ ଆକ୍ରମଣ ମାମଲାରେ ଦଣ୍ଡାଦେଶ କରିଛନ୍ତି। କୋର୍ଟ ୨୪ ଅଭିଯୁକ୍ତଙ୍କ ମଧ୍ୟରୁ ୧୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ପ୍ରତ୍ୟେକଙ୍କୁ ୨୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଆଇଏସଆଇଏସ ସହିତ ଜଡିତ ସ୍ଥାନୀୟ ଇସଲାମିକ ଉଗ୍ରବାଦୀ ଗୋଷ୍ଠୀ ନ୍ୟାସନାଲ ତୌହିଦ ଜମାତ(ଏନଟିଜେ)ର ୯ ଜଣ ଆତ୍ମଘାତୀ ବିସ୍ଫୋରଣକାରୀ ୨୧ ଏପ୍ରିଲ ୨୦୧୯ରେ ତିନୋଟି କ୍ୟାଥୋଲିକ ଚର୍ଚ୍ଚ ଏବଂ ତିନୋଟି ବିଳାସପୂର୍ଣ୍ଣ ହୋଟେଲକୁ ଟାର୍ଗେଟ କରି ଏକ ସିରିଜ ବିସ୍ଫୋରଣ କରିଥିଲେ। ଏହି ଆକ୍ରମଣରେ ୧୧ ଜଣ ଭାରତୀୟଙ୍କ ସମେତ ୨୭୦ ଜଣ ପ୍ରାଣ ହରାଇଥିଲେ ଏବଂ ୫୦୦ ରୁ ଅଧିକ ଆହତ ହୋଇଥିଲେ।ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କଲମ୍ବୋ ହାଇକୋର୍ଟର ଏକ ଖଣ୍ଡପୀଠ ସମସ୍ତ ୧୫ ଅଭିଯୁକ୍ତଙ୍କୁ ଧାର୍ଯ୍ୟ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ବିଚାରପତି ନବରତ୍ନେ ମାରାସିଙ୍ଘେ, ରାମନାଥନ କନ୍ନନ ଏବଂ ସୁଜୀୱା ନିସାଙ୍କାଙ୍କୁ ନେଇ ଗଠିତ ତିନି ସଦସ୍ୟ ବିଶିଷ୍ଟ ଖଣ୍ଡପୀଠ ଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଅନ୍ୟ ୯ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହି ମାମଲାର ବିଚାର ପ୍ରାୟ ପାଞ୍ଚ ବର୍ଷ ଧରି ଚାଲିଥିଲା। କୋର୍ଟ ମୁଖ୍ୟ ଅଭିଯୁକ୍ତ ନୌଫର ମୌଲଭିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ୨୩,୨୭୦ ଅଭିଯୋଗ ଅଣାଯାଇଥିଲା। ୨,୩୦୯ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇ। ଅଭିଯୁକ୍ତମାନଙ୍କ ବିରୋଧରେ ଆତଙ୍କବାଦ ନିବାରଣ ଆଇନ ଅନୁଯାୟୀ ହତ୍ୟା ଏବଂ ହତ୍ୟା ଉଦ୍ୟମ, ଆତଙ୍କବାଦୀ ଅକ୍ରମଣ ପାଇଁ ଷଡ଼ଯନ୍ତ୍ର, ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ରଖିବା ତଥା ବ୍ୟବହାର ଅଭିଯୋଗ ଅଣାଯାଇଥିଲା। ନ୍ୟାସନାଲ ତୌହିଦ ଜମାତ ନେତା ଜାହରାନ ହାସିମ ବ୍ୟକ୍ତିଗତ ଭାବରେ ଇଷ୍ଟର ରବିବାର ପ୍ରାର୍ଥନାକୁ ଟାର୍ଗେଟ କରିଥିବା ଆତ୍ମଘାତୀ ଦଳର ନେତୃତ୍ୱ ନେଇଥିଲେ। ଏହି ଆକ୍ରମଣ ଶ୍ରୀଲଙ୍କାରେ ଏକ ରାଜନୈତିକ ବିବାଦ ସୃଷ୍ଟି କରିଥିଲା। ପୂର୍ବ ଗୁପ୍ତ ସୂଚନା ସତ୍ତ୍ୱେ ତତ୍କାଳୀନ ରାଷ୍ଟ୍ରପତି ମୈତ୍ରିପାଳ ସିରିସେନା ଏବଂ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେ ଆକ୍ରମଣକୁ ରୋକିବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଥିଲା। ତଦନ୍ତ ସମୟରେ, ବିସ୍ଫୋରଣରେ ସମ୍ପୃକ୍ତ ପାଞ୍ଚ ଜଣ ସନ୍ଦିଗ୍ଧଙ୍କୁ ୟୁଏଇରୁ ଫେରାଇ ଅଣାଯାଇଥିଲା।
