ଭୁବନେଶ୍ୱର/ରାୟଗଡ଼ା: ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବରେ ରାୟଗଡ଼ା ଜିଲ୍ଲାର ଶ୍ରୀ ତାପସ କୁମାର ଦଳାଇଙ୍କୁ ସମ୍ମାନଜନକ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ କରାଯାଇଛି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିକରପାଇ ସରକାରୀ ଉଚ୍ଚ ବିଦ୍ୟାଳୟରୁ ସାହିତ୍ୟ ବିଭାଗରେ ନିଜର ଉତ୍କର୍ଷତା ପ୍ରତିପାଦନ କରି ସେ ରାଜ୍ୟସ୍ତରକୁ ମନୋନୀତ ହୋଇଥିଲେ ଏବଂ ଏହି ଗୌରବ ଅର୍ଜନ କରିଛନ୍ତି।
ଆଜି ରାଜଧାନୀ ଭୁବନେଶ୍ୱରର ୟୁନିଟ୍-୩ ସ୍ଥିତ କ୍ୟାପିଟାଲ ହାଇସ୍କୁଲ ପରିସରରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ତଥା ଭବ୍ୟ ସମାରୋହରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।
ଏହି ରାଜ୍ୟସ୍ତରୀୟ ଶିଶୁ ଉତ୍ସବରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସମେତ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଶ୍ରୀ ଏମ୍. ତିରୁମାଲା ନାୟକ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ରହି କୃତୀ ପ୍ରତିଭାମାନଙ୍କୁ ଉତ୍ସାହିତ କରିଥିଲେ।
ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ତାପସ କୁମାର ଦଳାଇଙ୍କ ଏହି ବିରଳ ସଫଳତା କେବଳ ତାଙ୍କ ବିଦ୍ୟାଳୟ ପାଇଁ ନୁହେଁ, ବରଂ ସମଗ୍ର ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଦେଇଛି। ତାଙ୍କର ଏହି କୃତିତ୍ୱ ପାଇଁ ସିକରପାଇ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ ମହଲ ସମେତ କଲ୍ୟାଣସିଂହପୁର ବ୍ଲକ୍ ଏବଂ ସମଗ୍ର ରାୟଗଡ଼ା ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।
