ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ସମାରୋହରେ ଛାତ୍ରଛାତ୍ରୀଙ୍କୁ ସମ୍ୱୋଧିତ କରିଛନ୍ତି । ଏହି ଅବସରରେ ସେ ଛାତ୍ରଛାତ୍ରୀଙ୍କୁ ପରିବର୍ତ୍ତନଶୀଳ ପ୍ରଯୁକ୍ତି ସହ ନିଜକୁ ଖାପ ଖୁଆଇବା ଏବଂ ନିରନ୍ତର ଶିକ୍ଷା ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୋଦି କହିଛନ୍ତି, ଏଠାରେ ଆଜି ଛାତ୍ରଛାତ୍ରୀଙ୍କ ସହିତ ଅନେକ ଲୋକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଛନ୍ତି । ମୁଁ ବାବା ବାଗେଶ୍ବର ନୁହେଁ, କିନ୍ତୁ କିଛି ଜାଣିପାରୁଛି । ଯାହା ଶୁଣିବା ପରେ ସମସ୍ତ ଲୋକ ହସିଥିଲେ ।
ମୋଦି କହିଛନ୍ତି, ପ୍ରତ୍ୟେକ ପିଢ଼ିର ନିଜସ୍ୱ ଆହ୍ୱାନ ଏବଂ ଦାୟିତ୍ୱ ରହିଥାଏ । ଏହି ପିଢ଼ି ପାଇଁ ଆଗାମୀ ସମୟରେ ଆହୁରି ଅଧିକ ଆହ୍ୱାନପୂର୍ଣ୍ଣ ହୋଇପାରେ । ଏଥିପାଇଁ ଧ୍ୟାନରେ ରଖନ୍ତୁ ଯେ ଆଗାମୀ ୩୫ ବର୍ଷରେ ଆପଣମାନଙ୍କ କାମ ବିକଶିତ ଭାରତର ମୂଳଦୁଆ ହେବ । ଶିକ୍ଷା କେବଳ ଡିଗ୍ରୀ ପାଇବାରେ ସୀମିତ ନୁହେଁ । ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ନୂଆ କଥା ଶିଖିବା ଏବଂ ନିଜ ଜ୍ଞାନକୁ ଅପଡେଟ୍ କରିବା ଜରୁରୀ । ଦ୍ରୁତ ଗତିରେ ବଦଳୁଥିବା ପ୍ରଯୁକ୍ତି ଯୁଗରେ ଛାତ୍ରଛାତ୍ରୀମାନେ ନିଜର ଜିଜ୍ଞାସାକୁ ଜୀବନ୍ତ ରଖିବା ସହ ନୂଆ ଚ୍ୟାଲେଞ୍ଜକୁ ସୁଯୋଗରେ ପରିଣତ କରିବା ଆବଶ୍ୟକ ବୋଲି ସେ ଗୁରୁତ୍ୱ ଦେଇଛନ୍ତି ।
ଆପଣମାନେ ଏପରି ସମୟରେ ସଂସ୍ଥାନରୁ ବାହାରୁଛନ୍ତି, ଯେତେବେଳେ ସାରା ଦୁନିଆରେ ଦ୍ରୁତ ଗତିରେ ପରିବର୍ତ୍ତନ ଘଟୁଛି । ଶିକ୍ଷା ଏବଂ ବୈଶ୍ୱିକ ଶକ୍ତିର ସନ୍ତୁଳନରେ ଲଗାତାର ପରିବର୍ତ୍ତନ ଘଟୁଛି । ଟେକ୍ନୋଲୋଜିର ଗତି ଏତେ ଅଧିକ ହୋଇଛି ଯେ, ଆଗାମୀ ୨୦-୩୦ ବର୍ଷରେ ଦୁନିଆ କିପରି ଥିବ କହିବା ମୁସ୍କିଲ । ଯେବେ ବି ପରିବର୍ତ୍ତନ ଆସେ, ନିଜ ସହିତ ଆହ୍ୱାନ ଏବଂ ସୁଯୋଗ ଉଭୟ ଧରି ଆସିଥାଏ ।
ଏହି ସମାରୋହରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା । ତେବେ ପୁରସ୍କାର ପାଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା କମ୍ ଥିବା ନେଇ ପିଏମ୍ ମୋଦି ଚିନ୍ତା ପ୍ରକାଶ କରିଥିଲେ ଏବଂ ଉଚ୍ଚଶିକ୍ଷାରେ ଅଧିକ ମହିଳାଙ୍କ ଅଂଶଗ୍ରହଣ ଉପରେ ଜୋର ଦେଇଥିଲେ ।
